Headlines Odisha Tv

An Odia News Portal

ହକି ବିଶ୍ବକପ୍‌: ଜିତିବାକୁ ହେବ, ନ୍ୟୁଜିଲାଣ୍ଡ ସହ ଆଜି ଭାରତର ମୁକାବିଲା

ଭୁବନେଶ୍ବର : ଚଳିତ ହକି ବିଶ୍ବକପ୍‌ରେ ଭାରତ ଆଗକୁ ବଢ଼ି ପାରିବ କି ନା ରବିବାର ସ୍ପଷ୍ଟ ‌ହୋଇଯିବ। ରବିବାରଠାରୁ ଅସଲ ଲଢ଼େଇ ଅର୍ଥାତ୍ ନକ୍ ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍‌ ‘ଡି’ରେ ଦ୍ବିତୀୟ ସ୍ଥାନରେ ରହିବାରୁ ଏହି କ୍ରସ୍ ଓଭର ମ୍ୟାଚ୍‌ ଖେଳିବ। ହକିରେ ସଫଳତା ଦୃଷ୍ଟିରୁ ବିଶେଷ ଭାବେ ପରିଚିତ ନଥିବା ନ୍ୟୁଜିଲାଣ୍ଡ୍ କିନ୍ତୁ ପ୍ରତିଦ୍ବନ୍ଦ୍ବୀ ଭାବେ ସବୁବେଳେ ଏକ ଜଟିଳ ଦଳ। ସେହି ଦୃଷ୍ଟିରୁ ଭାରତ ଘରୋଇ ପରିବେଶ ଓ ଦର୍ଶକଙ୍କ ସମ୍ମୁଖରେ ସକାରାତ୍ମକ ଭାବନାରେ‌ ଖେଳିଲେ ନିଶ୍ଚିତ ଆଗକୁ ବଢ଼ିପାରିବ। ରବିବାର ମ୍ୟାଚ୍‌ ଜିତିଲେ ଭାରତ ମଙ୍ଗଳବାର ରାତିରେ କ୍ବାର୍ଟରଫାଇନାଲ୍‌ରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ବିଜେତା ବେଲଜିୟମ୍‌କୁ ଭେଟିବ। ଅର୍ଥାତ୍ ଭାରତ ପାଇଁ ଏବେ ଏଭେରେଷ୍ଟ ଚଢ଼ିବାର କଷ୍ଟକର ଲକ୍ଷ୍ୟ ରହିଛି। ତଥାପି ନିକଟ ଅତୀତରେ ନ୍ୟୁଜିଲାଣ୍ଡ୍‌କୁ ଭାରତ ଦୁଇ ଥର ମାତ୍ ଦେଇଥିବାରୁ ହର୍ମନପ୍ରୀତ୍ ସିଂହଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଗତ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଭାରତ ଏଫ୍‌ଆଇଏଚ୍‌ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଉଭୟ ମୁକାବିଲାରେ ଏହି ବ୍ଲାକ ଷ୍ଟିକ୍ ଦଳକୁ ୪-୩ ଓ ୭-୪ ଗୋଲ୍‌ରେ ହରାଇଥିଲା। ବିଶ୍ବ ମାନ୍ୟତା ଦୃଷ୍ଟିରୁ ଭାରତ ଷଷ୍ଠ ଓ ନ୍ୟୁଜିଲାଣ୍ଡ୍‌ ୧୨ ନମ୍ବର ଥିବାରୁ ଘରୋଇ ଦଳ ନିଶ୍ଚିତ ଫାଇଦାରେ ରହିବ। ଭାରତୀୟ ଦଳ ସହ ଦ୍ବାଦଶ ଖେଳାଳି ଭାବେ ଖେଳିବେ କଳିଙ୍ଗ ଦର୍ଶକ। ଅମିତ ରୋହିଦାସ ଓ ନୀଲମ ସଂଜୀପ ଖେସ୍‌ଙ୍କ ଉପରେ ନିଶ୍ଚିତ ଓଡ଼ିଆ ଦର୍ଶକଙ୍କ ବିଶେଷ ନଜର ରହିବ ରବିବାର।