Headlines Odisha Tv

An Odia News Portal

ରାଜନୀତି ତେଜିଲା: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଧରାପଡ଼ିଥିଲେ ବି ୪୮ଘଣ୍ଟା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ଜାଣିପାରିନି। ଏହାକୁ ଧରି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିରୋଧୀ ପ୍ରଶ୍ନ ଉଠାଇଲେଣି। ଏପରିକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିଲେ ବି ପୁଲିସ ଡିଜି ଘଟଣାସ୍ଥଳକୁ ଯାଇନଥିବାରୁ ବିରୋଧୀ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ବର୍ଷିଛନ୍ତି। ଆଜି ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। କଂଗ୍ରେସ କହିଛି ଯେ ଏହି ଘଟଣାରେ ଶୀର୍ଷ ସ୍ତରର ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପାଇଁ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଦାୟୀ, ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଛାଡ଼ନ୍ତୁ। ଏହି ଘଟଣାର ଏସ୍‌ଆଇଟି ତଦନ୍ତ ହେଉ। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୁଲିସ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କର ହତ୍ୟା ହେଲା। ମାତ୍ର ୨୩ବର୍ଷ ଧରି ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ପାଟି ନଖୋଲିବା ଅତ୍ୟନ୍ତ ଲଜ୍ଜାର ବି‌ଷୟ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ଡିଜି ଘଟଣାସ୍ଥଳକୁ ଗଲେ ନାହିଁ ଏବଂ ଗୃହ ସଚିବ ନିରବ ଅଛନ୍ତି। ଏଣୁ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି। ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ? ଜଣେ ପୁଲିସ ହତ୍ୟା କରିବ, ଆଉ ଜଣେ ପୁଲିସ ଏହାର ତଦନ୍ତ କରିବ। ଏଥିରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଆଶା କରିହେଉନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇ ପୁଣି ଜଣେ ବିଚାରପତି/ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି। ତେଣୁ ବିଜେପି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରୁନି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।