Headlines Odisha Tv

An Odia News Portal

ମନ୍ତ୍ରୀଙ୍କ ହତ୍ୟାକୁ ୩ ଦିନ: କ୍ରାଇମବ୍ରାଞ୍ଚ ହାତ ଖାଲି, ଭାଇ ହୋଟେଲରେ ହତ୍ୟା ଯୋଜନା!

ଝାରସୁଗୁଡ଼ା/ ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମଙ୍ଗଳବାର ତିନି ଦିନ ପୂରି ଯାଇଥିଲେ ମଧ୍ୟ ଗୋପାଳ ଦାସ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଘଟଣା ଦିନ ସନ୍ଧ୍ୟାରୁ ଆସି ତଦନ୍ତ ଜାରି ରଖିଥିଲେ ହେଁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲିନାହିଁ। ଆଜି କ୍ରାଇମ ବ୍ରାଞ୍ଚ ଟିମ୍‌ ବ୍ରଜରାଜନଗରରେ ଘଟଣାସ୍ଥଳକୁ ଯାଇ ଦୀର୍ଘ ସମୟ ଧରି ଛାନଭିନ୍‌ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍‌ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ। ଘଟଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା। ଏହି ହୋଟେଲରେ ହିଁ ହତ୍ୟାକାଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି। ସେପଟେ କ୍ରାଇମବ୍ରାଞ୍ଚ୍‌ର ଆଉ ଏକ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇଛନ୍ତି। ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି। ଏଣୁ ଏହି ଚର୍ଚ୍ଚାକୁ ଆଜି ବଳ ମିଳିଛି। ଗୁଳିକାଣ୍ଡ ଦିନ ସକାଳୁ ଉକ୍ତ ହୋଟେଲକୁ ଗୋପାଳ ଯାଇଥିଲେ ଓ ପରେ ପରେ ହୋଟେଲ ବନ୍ଦ କରି ଦିଆଯାଇଥିଲା। ହୋଟେଲ ମାଲିକ ସତ୍ୟ ଓ ଅନ୍ୟ କର୍ମଚାରୀମାନେ ସମ୍ବଲପୁର ବୁଲିଯାଉଥିବା କହି ସେ ଦିନଠାରୁ ଆଉ ଆସି ନଥିବା ଜଣାପଡ଼ିଛି। ହୋଟେଲ ପାଇଁ ବାବୁଲି ମାଝୀଙ୍କ ଘରକୁ ଗୋପାଳ ମାସିକ ୬ ହଜାର ଟଙ୍କା ଭଡ଼ା ସୂତ୍ରରେ ନେଇଥିଲେ। ସତ୍ୟ ଏଠାରେ ଚଳିତ ମାସ ପହିଲାରୁ ମିଲ୍ସ ଓ ସକାଳେ ଜଳଖିଆ ତିଆରି କରି ବିକ୍ରି କରୁଥିଲେ। ମୁଖ୍ୟ ରୋଷେୟାକୁ ମିଶାଇ ଏଠାରେ ୫ ଜଣ କର୍ମଚାରୀ ଥିଲେ। ୩ ଦିନ ପରେ ମୁଖ୍ୟ ରୋଷେୟା ଚାଲିଯିବାରୁ ହୋଟେଲଟି ମାନ୍ଦା ଅବସ୍ଥାକୁ ଚାଲିଯାଇଥିଲା। ହୋଟେଲ ଚଳାଉଥିବା ଗୋପାଳର ବଡ଼ ଭାଇ ସତ୍ୟ କୌଣସି ଜାଗାରେ କାମ କରି ଅବସର ନେବା ପରେ ଏଠାରେ ଆସି  ହୋଟେଲ କରିଥିଲେ। ପ୍ରଥମେ ସେମାନେ କୁଆଁର କମ୍ପ୍ଲେକ୍ସ ନିକଟରେ ଅନ୍ୟ ଜଣଙ୍କ ସହିତ ମିଶି ହୋଟେଲ କରିବାକୁ  କଥାବାର୍ତ୍ତା କରିଥିଲେ। କିନ୍ତୁ ସେଥିରେ ସଫଳ ନ ହେବାରୁ ବାବୁଲି ମାଝୀଙ୍କ ଘର ଭଡ଼ା ନେଇଥିଲେ। ଗୋପାଳ ମଝିରେ ମଝିରେ ହୋଟେଲକୁ ଯାଇଥାନ୍ତି। ଘଟଣା ଦିନ ସକାଳ ସାଢ଼େ ୫ଟା ବେଳେ ଦୋକାନରେ ୪ ଜଣ କର୍ମଚାରୀ ଥିଲେ। ସେ ଦିନ ଗୋପାଳ ହୋଟେଲକୁ ସକାଳେ ଯିବା ପରେ ଆଉ ଦୋକାନ ଖୋଲି ନଥିଲା। ନିକଟରେ ମନ୍ତ୍ରୀଙ୍କ ପ୍ରୋଗ୍ରାମ ଥିବାରୁ ଗ୍ରାହକ ଆସିବେନି କହି ଦୋକାନ ବନ୍ଦ କରି ସମ୍ବଲପୁର ସେମାନେ ବୁଲିବାକୁ ଯାଇଥିବା ସେଠାକାର ଲୋକଙ୍କୁ କହିଥିଲେ। ହୋଟେଲଠାରୁ ମନ୍ତ୍ରୀଙ୍କ ସଭାସ୍ଥଳ ମଧ୍ୟରେ ଆହୁରି ଅନେକ ହୋଟେଲ ଖୋଲା ଥିବା ବେଳେ ଏହି ହୋଟେଲ ସେଦିନ ବନ୍ଦ ହେଲା କାହିଁକି? ତାହା ପୁଣି ଗୋପାଳ ଦାସ ହୋଟେଲକୁ ଯିବା ପରେ। ଏଣୁ ଗୋପାଳ ଏଭଳି କାଣ୍ଡ କରିବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ନିଜ ଭାଇ ତଥା ହୋଟେଲ କର୍ମଚାରୀଙ୍କୁ ପଠାଇ ଦେଇଥିବା କୁହାଯାଉଛି। ଏମିତି ବି ହୋଇପାରେ ବଡ଼ ଭାଇ ଏହି ଘଟଣାରେ ସମ୍ପୃକ୍ତ ଥାଇ ପାରନ୍ତି ଯାହାକି ତଦନ୍ତ ସାପେକ୍ଷ