Headlines Odisha Tv

An Odia News Portal

ହାତୀ କରିଡ଼ର ବିଜ୍ଞପ୍ତି ଜାରିରେ ବିଳମ୍ବ

ଭୁବନେଶ୍ୱର : ରାଜ୍ୟରେ ୧୪ଟି ହାତୀ କରିଡ଼ର ନିମନ୍ତେ ବିଜ୍ଞପ୍ତି ଜାରି କରିବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ପାଳନ କରିନଥିବାରୁ ମୁଖ୍ୟ ସଚିବଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ଜାନୁୟାରୀ ୩୦ତାରିଖ ସୁଦ୍ଧା ଉପଯୁକ୍ତ ଜବାବ ରଖିବାକୁ ମୁଖ୍ୟ ସଚିବଙ୍କୁ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ପରିବେଶବିତ୍ ବିଶ୍ୱଜିତ୍ ମହାନ୍ତି ଗଣମାଧ୍ୟମକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ହାତୀ କରିଡ଼ର ନିମନ୍ତେ ବିଜ୍ଞପ୍ତି ଜାରି କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ ୨୦୨୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ ବୋଲି ଭାବି ଆମେ ୧୫ମାସ ଅପେକ୍ଷା କଲୁ । କିନ୍ତୁ ସରକାର କୌଣସି ପଦକ୍ଷେପ ନନେବାରୁ ପୁଣିଥରେ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇ ଏ ଦିଗରେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲୁ । ଏହାସହିତ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବାରୁ ଜୋରିମାନା ଧାର୍ଯ୍ୟ ପାଇଁ ମଧ୍ୟ ଅନୁରୋଧ କରିଛୁ । ଗ୍ରୀନ୍ ଟ୍ରିବ୍ୟୁନାଲ ଡିସେମ୍ବର ୧୯ତାରିଖରେ ଏହି ମାମଲାର ଶୁଣାଣି କରିଥିଲେ । ଆସନ୍ତା ଜାନୁୟାରୀ ୩୦ତାରିଖ ସୁଦ୍ଧା ଉପଯୁକ୍ତ ଜବାବ ରଖିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ, ୨୦୧୭ ହାତୀ ଗଣନା ଅନୁସାରେ ରାଜ୍ୟରେ ମୋଟ ୧୯୭୬ଟି ହାତୀ ଅଛନ୍ତି । ୨୦୦୦-୦୧ରେ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୨୦ ଥିବାବେଳେ ୨୦୨୦-୨୧ରେ ଏହା ୭୭କୁ ବୃଦ୍ଧି ପାଇଛି । ୨୦୨୧-୨୨ରେ ବିଭିନ୍ନ କାରଣରୁ ରାଜ୍ୟରେ ୭୪ଟି ହାତୀଙ୍କ ମୃତ୍ୟୁ ହୋଇଛି ।