Headlines Odisha Tv

An Odia News Portal

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶନିବାରଠୁ ଅସଲ ଲଢ଼େଇ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଜବରଦସ୍ତ ଟକ୍କର

ସିଡନୀ,୨୨/୧୦: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶନିବାରଠୁ ଆରମ୍ଭ ହେବ ସୁପର-୧୨ ରାଉଣ୍ଡ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସାମ୍ନାସାମ୍ନି ହେବେ । ଆୟୋଜକ ଅଷ୍ଟ୍ରେଲିଆ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ୨୦୨୧ ବିଶ୍ୱକପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ । ଏହି ମ୍ୟାଚ୍‌ ସିଡନୀରେ ଅପରାହ୍ଣ ୧୨.୩୦ରୁ ଆରମ୍ଭ ହେବ । ସିଡ୍‌ନୀ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଶନିବାର ଅପରାହ୍ଣରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ଏକପ୍ରକାର ନିଶ୍ଚିତ କହିଲେ ଭୁଲ ହେବନି । ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ । ଅଷ୍ଟ୍ରେଲିଆ ୮ ୱିକେଟରେ ଜିତି ପ୍ରଥମ ଥର ଚାମ୍ପିଅନ୍‌ ହୋଇଥିଲା । ଏଥର ନ୍ୟୁଜିଲାଣ୍ଡ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି । ୨୦୧୧ ପରଠୁ ନ୍ୟୁଜିଲାଣ୍ଡ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ (୩ଟି ଯାକ ଫର୍ମାଟ)ରେ ଗୋଟିଏ ହେଲେ ମ୍ୟାଚ୍‌ ଜିତିନାହିଁ । ସୁପର-୧୨ ରାଉଣ୍ଡ ପୂର୍ବରୁ ଭାରତ ବିପକ୍ଷରେ ଆୟୋଜକ ଅଷ୍ଟ୍ରେଲିଆ ଏକ ଅଭ୍ୟାସ୍‌ ଖେଳି ୬ରନ୍‌ରେ ପରାଜିତ ହୋଇଥିଲା । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ୯ ୱିକେଟ୍‌ରେ ପରାଜିତ ହୋଇଥିବାବେଳେ ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ୍‌ ହୋଇଥିଲା ।