Headlines Odisha Tv

An Odia News Portal

ଘରେ ବୋମା ଖଞ୍ଜିଲେ ନକଲି ମାଓବାଦୀ

ରାୟଗଡ଼ା : ମାଓବାଦୀ ପରିଚୟ ଦେଇ ମାଗିଥିଲେ ୫ ଲକ୍ଷ ଟଙ୍କା ଚାନ୍ଦା। ଚାନ୍ଦା ନ ଦେଲେ ବୋମା ଲଗାଇ ଘର ଉଡ଼ାଇ ଦେବାକୁ ଦେଇଥିଲେ ଧମକ। ଟଙ୍କା ଦେବାରେ ବ୍ୟବସାୟୀ କୁମାର ଶଙ୍କର ଗୋପାଳ ବିଳମ୍ବ କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଘରେ ୭ଟି ବୋମା ଖଞ୍ଜିଥିଲେ। ପୁଲିସ୍ ୭ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିବା ବେଳେ ମାମଲାରେ ସଂପୃକ୍ତ ୬ ନକଲି ମାଓବାଦୀକୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ଘର ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୂଆମୂଳରାମପୁର ଅଞ୍ଚଳରେ। ଗିରଫ ଦୁର୍ବୃତ୍ତ ଅନ୍ୟ କେଉଁ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା । ସୂଚନା ଅନୁସାରେ, ଗତ ୭ ତାରିଖରେ ସୁଙ୍ଗେର ଗ୍ରାମର କୁମାର ଶଙ୍କର ଗୋପାଳଙ୍କ ଘରେ ବୋମା ଖଞ୍ଜା ଯାଇଥିବା ନେଇ କାଶୀପୁର ପୁଲିସ ସୂଚନା ପାଇଥିଲା। ଏହାପରେ ରାୟଗଡ଼ା ପୁଲିସ ଓ ସିଆରପିଏଫ୍‌ର ବୋମା ନିଷ୍କ୍ରିୟକାରୀ ଦଳ ଉକ୍ତ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମାଙ୍କ ନେତୃତ୍ବରେ ଡିଭିଏଫ୍ ଯବାନ, ଜିଲ୍ଲା ପୁଲିସ, ସିଆର୍‌ପିଏଫ୍‌ ଯବାନ ଯାଞ୍ଚ୍‌ ସମୟରେ ଘରର ଛାତ ଉପରୁ ଗ୍ୟାସ୍ ସିଲିଣ୍ଡର, ବିଦ୍ୟୁତ୍ ତାର ଜବତ ହୋଇଥିଲା। ଏହାପରେ ଘରର ବିଭିନ୍ନ ସ୍ଥାନରେ ଖଞ୍ଜା ହୋଇଥିବା ୭ଟି ବୋମାକୁ ପୁଲିସ୍ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା। ଗତ କିଛିଦିନ ତଳେ ନକଲି ମାଓବାଦୀମାନେ ଫୋନ୍‌ରେ କୁମାର ଶଙ୍କର ଗୋପାଳଙ୍କୁ ଚାନ୍ଦା ମାଗିଥିଲେ। ଚାନ୍ଦା ଆଦାୟରେ ବିଫଳ ହେବାପରେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ବୋମା ତିଆରି ପାଇଁ ସେମାନେ କେରଳରୁ ବିସ୍ଫୋରକ ସାମଗ୍ରୀ ଆଣିଥିବା ନେଇ ସନ୍ଦେହ କରାଯାଉଛି।