Headlines Odisha Tv

An Odia News Portal

ଏବେ ନାହିଁ ବାତ୍ୟା, ୧୪ ପରେ ସ୍ପଷ୍ଟ ହେବ

ଭୁବନେଶ୍ୱର :  ସାଧାରଣତଃ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା ପଶେ। ତେଣୁ ଚଳିତ ବର୍ଷ ବି ଦ୍ୱିତୀୟ ସପ୍ତାହରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଫଳରେ ରାଜ୍ୟବାସୀଙ୍କୁ ବାତ୍ୟା ଭୟ ଘାରିଲାଣି। ହେଲେ ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ । ଏନେଇ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି। କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଗତ ଗୁରୁବାରଠାରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଥିବା ବେଳେ କେବେ ଓ କେଉଁଠି ସୃଷ୍ଟି ହେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନି। ଏହାବାଦ ଘୂର୍ଣ୍ଣିବଳୟର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ। ସୂଚନାଯୋଗ୍ୟ, ଆସନ୍ତା ୨୨ରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ବିଭିନ୍ନ ମଡେଲ ଆଧାରରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଭାରତୀୟ ପାଣିପାଗ  ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ହେଲେ ତାହାର ପ୍ରଭାବ ଓ ରୂପରେଖ କିପରି ରହିବ ୧୪ ପରେ ହିଁ ତାହାକୁ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲଗାତର କିଛି ବର୍ଷ ହେବ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ମାଡ଼ି ଆସୁଥିବାରୁ ରାଜ୍ୟ ସରକାର ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ବି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ହେବାକୁ ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଏସଓପି ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।