Headlines Odisha Tv

An Odia News Portal

ଇ-ଯାନ ନୀତିକୁ ବାଟବଣା

ଭୁବନେଶ୍ବର: ରାଜ୍ୟରେ ବାୟୁ ପ୍ରଦୂଷଣ କମାଇବା ପାଇଁ ଓଡ଼ିଶା ସରକାର ୨୦୨୧ ସେପ୍ଟେମ୍ବର ପହିଲାରୁ ଇ-ଯାନ ନୀତି-୨୦୨୧ ଲାଗୁ କରିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣା କରାଯାଇଛି ଯେ ଇ-ଯାନ କିଣିଲେ ସବ୍‌ସିଡି ମିଳିବ। ହେଲେ ସରକାରଙ୍କ ଏହି ଆକର୍ଷଣୀୟ ନୀତି ଘୋଷଣା ହେବାର ୧୫ମାସ ପରେ ଏ କ୍ଷେତ୍ରରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ତାହା ହେଲା- ସରକାରୀ ଅଧିକାରୀମାନେ ଏହି ନୀତିରେ ଏମିତି ପେଞ୍ଚ ରଖିଛନ୍ତି ଯେ ଓଡ଼ିଶାର ଗ୍ରାହକ ଅନ୍ୟ ରାଜ୍ୟ ତୁଳନାରେ ଆର୍ଥିକ ଦୃଷ୍ଟିରୁ ଢେର୍ କ୍ଷତି ସହୁଛି। କେବଳ ସେତିକି ନୁହେଁ, ଯେତିକି ବି ସବ୍‌ସିଡି ମିଳିବା କଥା ତାହା ଅନେକଙ୍କୁ ମିଳୁନି। ଆହୁରି ସ୍ପଷ୍ଟ ଭାବେ କହିଲେ, ଗାଡ଼ି ମୂଲ୍ୟ ତୁଳନାରେ ବହୁତ କମ୍ ସବ୍‌ସିଡି ମିଳୁଛି; ଦିଲ୍ଲୀ ଭଳି ରାଜ୍ୟ ସହ ତୁଳନା କଲେ ଆକାଶ ପାତାଳ ଫରକ। ପୁଣି ଯିଏ ଇ-ଯାନ କିଣିବେ ତାଙ୍କୁ ସ୍ବତଃସ୍ଫୂର୍ତ୍ତ ସବ୍‌ସିଡି ନଦେଇ ପୁଣି ଆବେଦନ କରିବାକୁ କୁହାଯାଉଛି। ଆଉ ଏ କ୍ଷେତ୍ରରେ ଥିବା ଯାଞ୍ଚ ପ୍ରକ୍ରିୟାର ଜଟିଳତା କାରଣରୁ ଅନେକ କ୍ରେତା ସବ୍‌ସିଡି ପାଇପାରୁନାହାନ୍ତି। ପରିଣାମ ହେଲା, ସରକାରଙ୍କ ଏହି ଇ-ଯାନ ଆରମ୍ଭରୁ ବାଟବଣା ହୋଇଯାଇଛି। ସାଧାରଣରେ ଏହା ଆଦୃତି ଲାଭ କରିବା ପରିବର୍ତ୍ତେ ସମସ୍ତେ ଏବେ ଏହାକୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ସ୍ଥିତିରେ ତୁରନ୍ତ ସୁଧାର ନ ଆସିଲେ, ସମ୍ଭବତଃ ଏହି ନୀତି ପଛର ମୂଳ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ହୋଇପାରେ।