Headlines Odisha Tv

An Odia News Portal

ଫ୍ରାନ୍ସରେ ବ୍ୟାପକ ପୋଡ଼ାଜଳା

ନୂଆଦିଲ୍ଲୀ: ଫିପା ୱାର୍ଲ୍ଡକପ୍‌ରେ ଫ୍ରାନ୍ସକୁ ହରାଇ ଦମ୍‌ଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ବାଜି ମାରିନେଇଛି। ତେବେ ଏହି ଫାଇନାଲ ମୁକାବିଲାରେ ଫ୍ରାନ୍ସର ପରାଜୟ ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫ୍ୟାନ୍‌ମାନେ ଫ୍ରାନ୍ସର ହାର୍ ବରଦାସ୍ତ କରି ପାରିନାହାନ୍ତି। ତାଙ୍କୁ ଜୋରଦାର ଝଟ୍‌କା ଲାଗିଛି। ଫଳରେ ସେମାନେ ବେକାବୁ ହୋଇପଡିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ଦଙ୍ଗା ଭଳି ସ୍ଥିତି ଉପୁଜିଛି। ସ୍ଥାନୟ ରିପୋର୍ଟ ମୁତାବକ, ଆର୍ଜେଣ୍ଟିନା ଠାରୁ ପରାଜୟ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବ୍ୟାପକ ହିଂସା ଘଟିଛି। ଲୋକେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ବିଭିନ୍ନ ଗାଡି ପୋଡାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି। ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ବିକ୍ଷୋଭକାରୀଙ୍କ ଉପରୁ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି।ଫିଫା ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ବଡ ବଡ ସ୍କ୍ରିନ୍ ଲାଗିଥିଲା। ତେବେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଫ୍ରାନ୍ସର ପରାଜୟ ପରେ ଫ୍ୟାନ୍‌ମାନେ ଉତ୍ତେଜିତ ହୋଇପଡିଥିଲେ। ଲାଗିଥିବା ସ୍କ୍ରିନ୍‌କୁ ଚିରାଚିରି କରିବା ସହ ପୋଡି ଦେଇଥିଲେ। ଏହି ହିଂସାର କିଛି ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ହିଂସାକୁ କାବୁ କରିବା ପାଇଁ ପ୍ୟାରିସର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।