ବରଗଡ଼/ଝାରବନ୍ଧ/ପାଇକମାଳ/ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ରେ ନିର୍ବାଚନୀ ସଭା କରିଛନ୍ତି। ପ୍ରତି ସଭାରେ ସେହି ବ୍ଲକ୍ର ଦାବି ମୁତାବକ ଘୋଷଣା କରିଛନ୍ତି। ଝାରବନ୍ଧଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାକ୍ଦର୍ହା ଡ୍ୟାମ୍ର ଉନ୍ନତୀକରଣ ହେବ ବୋଲି ଘୋଷଣା କରିଛନ୍ତି। ଏହାବାଦ୍ ବହୁ ଦିନର ଦାବି ଥିବା ଉଚ୍ଚକ୍ଷମତା ସଂପନ୍ନ ଗ୍ରିଡ୍ ପାଇଁ ଶୀଘ୍ର କାମ ହେବ। ଏହାପରେ ସେ ପାଇକମାଳଠାରେ ଆୟୋଜିତ ସମାବେଶରେ ଯୋଗ ଦେଇ ପାଇକମାଳକୁ ଏନ୍ଏସିରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ। ଏହାବାଦ୍ ଗୋଷ୍ଠୀ କେନ୍ଦ୍ର ମଧ୍ୟ ସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ ଘୋଷଣା କରିଥିଲେ। ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ପ୍ରକ୍ରିୟା ସରିବ ବୋଲି କହିଥିଲେ। ଏଥି ସହିତ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଚାଷୀଙ୍କୁ ଘୋଷଣା ମୁତାବକ ଇନ୍ପୁଟ୍ ସବ୍ସିଡି ମିଳିବ ବୋଲି ଭରସା ଦେଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ପ୍ରତି ସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ରେଳ ଲାଇନ୍ ପ୍ରସଂଗ ଉଠାଇଥିଲେ। ସେ ପ୍ରଶ୍ନ ରଖିଥିଲେ ଯେ ରେଳ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ୍ କେଉଁଠି ହେବ, ଡିପିଆର୍ ହୋଇଛି କି, ରାଜ୍ୟ ସରକାରଙ୍କ ପାଖରେ ଜମି ଅଧିଗ୍ରହଣ ପାଇଁ ଆବେଦନ ହୋଇଛି କି? ଏସବୁର ପ୍ରଶ୍ନର ଉତ୍ତର ନିର୍ବାଚନ ପ୍ରଚାରକୁ ଆସିଥିବା କେନ୍ଦ୍ରମନ୍ତ୍ରୀମାନେ ଦେଇ ପାରିବେ କି ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ପ୍ରାର୍ଥିନୀ ବର୍ଷାଙ୍କ ବିରୋଧରେ ବିଜେପି ବ୍ୟକ୍ତିଗତ ଟିପ୍ପଣୀ କରୁଥିବାରୁ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ବିଜେପି ବ୍ୟକ୍ତିଗତ ଜୀବନରୁ ଦୂରେଇ କାମ କରୁ ବୋଲି ସେ କହିଥିଲେ। ‘ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ’ ବୋଲି ମୁଖ୍ୟମନ୍ତ୍ରୀ ଟିପ୍ପଣୀ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବିସ୍ତୃତ ବିବରଣୀ ରଖିଥିଲେ। ବିଜେପୁର ନିର୍ବାଚନମଣ୍ଡଳୀକୁ ସେ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ଉକ୍ତ ନିର୍ବାଚନମଣ୍ଡଳୀରେ ୪ ହଜାର କୋଟି ଟଙ୍କାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ପଦ୍ମପୁରରେ ବି ସେହିଭଳି କାର୍ଯ୍ୟ ଆଗକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା: ନବୀନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ