Headlines Odisha Tv

An Odia News Portal

ଫେଲ୍ ମାରିଲା ବିଏମସିର ସବୁ ଆକ୍ସନ ପ୍ଲାନ୍

ଭୁବନେଶ୍ୱର, ଅଗଷ୍ଟ ୨୯ : ରାଜଧାନୀରେ ବଢିବାରେ ଲାଗିଛି ଡେଙ୍ଗୁ ଆତଙ୍କ । କରୋନା ଭୟ ମଧ୍ୟରେ ଏବେ ରାଜଧାନୀ ଭୁବନେଶ୍ୱରରେ ଅଣାୟତ ହେବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଡେଙ୍ଗୁ ବ୍ୟାପିବା ଆରମ୍ଭ ହେବାରୁ ରାଜଧାନୀରେ ସଂକ୍ରମଣକୁ ଆୟତକୁ ଆଣିବା ପାଇଁ ବିଏମସି ପକ୍ଷରୁ ଅନେକ ଆକ୍ସନ ପ୍ଲାନ୍ କରାଯାଇଥିଲା । ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସର୍ଭେଲାନ୍ସ କଡାକଡି ହେବା ସହିତ ସଫେଇ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିଲା ମାତ୍ର ବିଏମସିର ଏ ସବୁ ଆକ୍ସନ ପ୍ଲାନ୍ ଏବେ ଫେଲ ମାରିଛି । ବର୍ତ୍ତମାନ କେବଳ ଭୁବନେଶ୍ୱରରରେ ୨ ହଜାର ପାର କରିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହା ରାଜଧାନୀ ବାସୀଙ୍କ ଚିନ୍ତା ବଢାଇଛି । କରୋନା ଭୟାବହତା ଭିତରେ ଏତେ ମାତ୍ରାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ଖେଳିଯାଇଛି । ପ୍ରତିଦିନ କେବଳ ଭୁବନେଶ୍ୱରରୁ ୬୦-୭୦ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବଂ ସବୁଠାରୁ ବଡ଼ କଥା ହେଲା ରାଜଧାନୀର ଏହି ଡେଙ୍ଗୁ ସଂକ୍ରମଣରେ ବ୍ରେକ୍ ମଧ୍ୟ ଲାଗୁନାହିଁ । ଶନିବାର ୭୩ ଜଣ ନୂଆ ଡେଙ୍ଗୁ ସଂକ୍ରମିତଙ୍କୁ ମିଶାଇ ରାଜଧାନୀରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୨୦୩୨ ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ୧୭୦୯ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୩୨୩ ଟି ଆକ୍ଟିଭ୍ କେସ୍ ରହିଥିବା ବିଏମସି ପକ୍ଷରୁ ତଥ୍ୟ ଦିଆଯାଇଛି ।