ସୁନ୍ଦରଗଡ଼/ହେମଗିର : ଛତିଶଗଡ଼ ଓ ଝାଡ଼ଖଣ୍ଡରେ ନାମୀବ୍ରାଣ୍ଡରେ ବିକ୍ରି ହେଉଛି ଓଡ଼ିଶାର ପିଡିଏସ୍ ଚାଉଳ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ଓ ଓଡ଼ିଶାର କଳାବେପାରୀ ବେଶ୍ ସକ୍ରିୟ ଅଛନ୍ତି। ଗରିବ ଓ ଅଭାବୀ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ପିଡିଏସ୍ ଚାଉଳକୁ କମ୍ ଦରରେ କିଣିନେଇ ତାକୁ ନାମୀ କମ୍ପାନିର ଲୋଗୋ ଦେଇ ଚଢ଼ାମୂଲ୍ୟରେ ବଜାରକୁ ଛାଡ଼ୁଛନ୍ତି। ସୀମାନ୍ତର ୪ଟି ବ୍ଲକ୍ରୁ ବର୍ଷକୁ ଅତିକମ୍ରେ ୩୬ ହଜାର କ୍ବିଣ୍ଟାଲରୁ ଅଧିକ ଏଥିନେଇ ଚାଉଳ ହଡ଼ପ ହେଉଛି ଏବଂ ୭ରୁ ୮ କୋଟି ଟଙ୍କା କଳାବଜାରୀଙ୍କ ପକେଟ୍କୁ ଯାଉଛି ବୋଲି ଏକ ଆକଳନରୁ ଜଣାପଡ଼ିଛି। ହସ୍ତଗତ ସୂଚନା ଅନୁସାରେ, ଜିଲ୍ଲାର ୪ଟି ବ୍ଲକ୍ ହେମଗିର, ଲେଫ୍ରିପଡ଼ା, ବାଲିଶଙ୍କରା ଓ ସବଡେଗାର ସୀମାନ୍ତ ପଞ୍ଚାୟତଗୁଡ଼ିକରୁ ପ୍ରତି ମାସରେ ୩ ହଜାର କ୍ବିଣ୍ଟାଲ ଚାଉଳ ସିଧାସଳଖ କଳାବେପାରରେ ପ୍ରବେଶ କରୁଛି। ହେମଗିର ବ୍ଲକ୍ର ୧୯ଟି ପଞ୍ଚାୟତ ମଧ୍ୟରୁ ଅଧାରୁ ଅଧିକ ପଞ୍ଚାୟତ ଛତିଶଗଡ଼ ସୀମାନ୍ତ ବା ନିକଟବର୍ତ୍ତୀ ଅଟନ୍ତି। ଛତିଶଗଡ଼ ସୀମାନ୍ତବର୍ତ୍ତୀ ବା ନିକଟବର୍ତ୍ତୀ ଟପରିଆ, ସୁମୁରା, ମୁଣ୍ଡେରକ୍ଷେତ, କୁଚେଡେଗା, କେନ୍ଦୁଡିହି, ଆଙ୍କେଲବିରା, କନିକା, ଜୁଲୁମବାହାଲ, ଝାରପଲମ, ଗର୍ଜନଯୋର ପଞ୍ଚାୟତର ୧୦ ହଜାର ୧୦୯ ପରିବାରକୁ ପ୍ରତି ମାସରେ ୨୦୦୯ କ୍ବିଣ୍ଟାଲ ଚାଉଳ ବଣ୍ଟନ କରାଯାଉଛି। ସେହିପରି ଲେଫ୍ରିପଡ଼ା ବ୍ଲକ୍ର ସୀମାନ୍ତ ଡୁମାବାହାଲ, ଗୁଣ୍ଡିଆଡିହି, ଅଲପକା, ରାଜବାହାଲ, ହୁର୍ମେଇ, ମଶାବିରା ପଞ୍ଚାୟତର ୫୯୩୪ ପରିବାରକୁ ୯୯୦.୩୯ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଛି। ବାଲିଶଙ୍କରା ବ୍ଲକ୍ର ସୀମାନ୍ତ ତିଲଡେଗା, ତିଲେଇକାନି, ଲୁଲୁକିଡିହି, ବନଡେଗା, ରାମପୁର, ଶାଗବାହାଲ, କୁରେଇ, ବାଲିଶଙ୍କରା ପଞ୍ଚାୟତର ୧୦ ହଜାର ୪୫ ପରିବାରକୁ ୧୫୧୪.୨୨ କ୍ବିଣ୍ଟାଲ ବଣ୍ଟନ କରାଯାଉଛି। ସେହିଭଳି, ସବଡେଗା ବ୍ଲକ୍ର ସୀମାନ୍ତ ପଞ୍ଚାୟତ ଟାଙ୍ଗରଗାଁ, କୁରୁମକେଲର ୨୬୮୭ ପରିବାରକୁ ୪୧୫.୫୪ କ୍ବିଣ୍ଟାଲ ଓ ବଡ଼ଗାଁ ବ୍ଲକ୍ର ସୀମାନ୍ତ ଏକମା ପଞ୍ଚାୟତର ୧୨ ଶହ ପରିବାରକୁ ୨୨୩.୪୬ କ୍ବିଣ୍ଟାଲ ପ୍ରଦାନ କରାଯାଉଛି।
ଛତିଶଗଡ଼ରେ ଓଡ଼ିଶାର ପିଡିଏସ୍ ଚାଉଳ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ