Headlines Odisha Tv

An Odia News Portal

ଆତଙ୍କବାଦୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ‘ସିଆଇଏ’ର ଡ୍ରୋନ୍ ଷ୍ଟ୍ରାଇକ୍‌ରେ ଅଲକାଏଦା ମୁଖ୍ୟ ଅଲ ଜୱାହିରୀ ନିପାତ

ୱାଶିଂଟନ୍‌, ଅଗଷ୍ଟ ୦୨ : ଆତଙ୍କବାଦୀ ମୁଖ୍ୟ ଅୟମାନ ଅଲ-ଜୱାହିରୀକୁ ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ନିପାତ କରିଛି । ଆମେରିକୀୟ ଅଧିକାରୀମାନେ ସୋମବାର ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, ୨୦୧୧ରେ ଏହାର ପ୍ରତିଷ୍ଠାତା ଓସାମା ବିନ୍ ଲାଦେନ୍‌କୁ ନିହତ କରାଯିବା ପରେ ଆତଙ୍କବାଦୀ ସମୂହକୁ ବଡ଼ ଝଟକା ଲାଗିଛି । ମିଶରର ଡାକ୍ତର ଓ ସର୍ଜନ ଜୱାହିରୀ ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆକ୍ରମଣରେ ୪ ବିମାନକୁ ହାଇଜାକ କରିବାରେ ସହଯୋଗ କରିଥିଲା । ଏଥିରେ ୨ଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଉଭୟ ଟାୱାରରେ ଧକ୍କା ହୋଇଥିଲା । ତୃତୀୟ ବିମାନ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅର୍ଥାତ ପେଣ୍ଟାଗନ ସହିତ ମାଡ଼ ହୋଇଥିଲା । ୪ର୍ଥ ବିମାନ ଶେକଭିଲେରେ ଏକ ଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ମୋଟ ୩୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିଆଇଏ ଏକ ଡ୍ରୋନ୍ ଆକ୍ରମଣ କରିଥିଲା । ପ୍ରଶାସନର ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଆଫଗାନିସ୍ତାନରେ ଅଲକାଏଦା  ବିରୋଧରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଇଛି । ଏହି ଅପରେଶନ ପୂର ସଫଳ ହୋଇଛି ଏବଂ ଅନ୍ୟ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ । ଜୱାହିରୀ ମୃତ୍ୟୁ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ୨୦୨୧ରେ କାବୁଲ ଉପରେ ଅକ୍ତିଆର କରିବା ପରେ ତାଲିବାନ ଆତଙ୍କବାଦୀ ମୁଖ୍ୟକୁ ଶରଣ ଦେଇଥିଲା ବୋଲି ପ୍ରଶ୍ନ ଛିଡ଼ା ହେଉଛି । ଏହା ପୂର୍ବରୁ ଆଫଗାନିସ୍ତାନରେ ଗତ ୨୦ ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ସେନା ମୁତୟନ ଥିଲେ । ଅନ୍ୟପଟରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବୟାନରେ ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି ଓ ଏହାର ତୀବ୍ର ନିନ୍ଦା କରିଛନ୍ତି ।