ନାଚୁଣୀ: ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖିଥିବାର ଖବର ମିଳିଛି। ଏହି ୪ ବ୍ୟକ୍ତି ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ଶଳା, ଶାଳୀ ଓ ଅନ୍ୟ ଜଣେ। ଆଜି ଏମାନଙ୍କୁ ପଚରାଉଚରା କରୁଛି ପୁଲିସ।
ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫)। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି। ସୂଚନା ଅନୁସାରେ ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ହରିପୁର ବୃଷଭ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ଅନତି ଦୁର ତାରିଣୀ ମନ୍ଦିର ପାଖ ହରିପୁର ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେଶ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା। ପୁଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଥିଲା। ସୂଚନାରୁ ପ୍ରକାଶ, ଏହି ଅଜଣା ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ତନାଘନା ଜାରି ରଖିଛି। ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଓ ପୁଲିସ ସଦଳବଳେ ଏହି ଜାଗାରେ ଉପସ୍ଥିତ ରହିଥିଲେ। ବାଲୁଗାଁ ଏସଡିଓ ମାନସ ରଞ୍ଜନ ବାରିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ। ଘଟଣାଟି ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା