Headlines Odisha Tv

An Odia News Portal

ସରିଲା ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍: ଆସିବ ସାଢ଼େ ଦଶ ଲକ୍ଷ କୋଟି

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦେଶବିଦେଶର ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଦେଶବିଦେଶର ଶିଳ୍ପପତିମାନଙ୍କୁ ଡାକି ଭୁବନେଶ୍ବରରେ ଯେଉଁ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଆୟୋଜନ କରାଯାଇଥିଲା ତାହାକୁ ବିରାଟ ସଫଳତା ମିଳିଛି। କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଓଡ଼ିଶାକୁ ମୋଟ ସାଢ଼େ ଦଶ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ରାଜ୍ୟରେ ସାଢ଼େ ଦଶ ଲକ୍ଷ ଜଣଙ୍କ ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ ଆସିଥିବା ନିବେଶ ସଂପର୍କରେ ସରକାରଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ କୁହାଯାଇଛି ୩ ଦିନ ମଧ୍ୟରେ ମୋଟ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ୧୦ ଲକ୍ଷ ୩୭ ହଜାର ୭୦୧ ଜଣଙ୍କୁ ନିଯୁକ୍ତି ମିଳିବ। ମୋଟ ୭୪୧ଟି ସଂସ୍ଥା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ପ୍ରଥମ ଏବଂ ଦ୍ବିତୀୟ ସଂସ୍କରଣରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେଣୁ ଚଳିତ ସଂସ୍କରଣରେ ଗତ ଦୁଇଟିଯାକ ସଂସ୍କରଣ ଅପେକ୍ଷା ପ୍ରାୟ ୭୫ ପ୍ରତିଶତ ଏବଂ ୨୦୧୮ ସଂସ୍କରଣ ତୁଳନାରେ ୨୫୦ ପ୍ରତିଶତ ଅଧିକ ନିବେଶ ପ୍ରତିଶ୍ରୁତି ମିଳିଛି। ସର୍ବାଧିକ ନିବେଶ ପ୍ରତିଶ୍ରୁତି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେଏସଡବ୍ଲୁ ରହିଛି। ଆର୍ସେଲର ମିତ୍ତଲ ୧ ଲକ୍ଷ ୬୦ ହଜାର କୋଟି ଏବଂ ଜେଏସଡବ୍ଲ୍ୟୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।