Headlines Odisha Tv

An Odia News Portal

ସନ୍ଥଙ୍କୁ ଦିଆଯାଇଥାଏ ସମାଧୀ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ : ହିନ୍ଦୁ ଧର୍ମ ଅନୁସାରେ ଶରୀର ନଶ୍ବର ଅଟେ କିନ୍ତୁ ଆତ୍ମା ଅମର। ହିନ୍ଦୁ ପରଂପରାରେ ମୃତ୍ୟୁ ପରେ ଶରୀରର ଦାହ ସଂସ୍କାର ଏଥିପାଇଁ କରାଯାଇଥାଏ, କାରଣ ଶରୀରରୁ ଆତ୍ମାର ମୋହ ଶେଷ ହୋଇଯାଉ। କିନ୍ତୁ ଯେତେବେଳେ କୌଣସି ସନ୍ଥଙ୍କ ମୃତ୍ୟୁ ହୋଇଯାଏ, ତାଙ୍କୁ ଭୂ-ସମାଧୀ ଦିଆଯାଇଥାଏ। ତାଙ୍କୁ ଦାହ କରାଯାଏ ନାହିଁ। ଏହି ପରଂପରା ଅନୁସାରେ ବୁଧବାର ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ବାଘମ୍ବରୀ ମଠରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭୂ-ସମାଧୀ ଦିଆଯାଇଥିଲା। କୁହାଯାଇଥାଏ ଏହି ପରଂପରା ଭାରତରେ ଦୀର୍ଘ ୧୨୦୦ ବର୍ଷରୁ ପ୍ରଚଳିତ ହୋଇଆସୁଛି। ୯ମ ଶତାଦ୍ଦୀରେ ଆଦିଶଙ୍କରାଚାର୍ଯ୍ୟଙ୍କୁ ଭୂ-ସମାଧୀ ଦିଆଯାଇଥିଲା। ସେହିପରି ତେତୟା ଯୁଗରେ ଭଗବାନ ରାମଙ୍କୁ ମଧ୍ୟ ଭୂ-ସମାଧୀ ଦିଆଯାଇଥିଲା।

ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତ ରବିବାର ମଠ ପରିସରରେ ଥିବା କୋଠରୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେ ପ୍ରକୃତରେ ଆତ୍ମହତ୍ୟା କରିଥିଲେ କି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା, ତାହା ପୋଲିସର ତଦନ୍ତ ପରେ ଜଣା ପଡ଼ିବ। ଏଥି ସହିତ ଉତ୍ତର ପ୍ରଦେଶ ସରକାର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା ନେଇ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଛନ୍ତି। 

ମହନ୍ତ ନରେନ୍ଦ୍ର ଗିରି ନିଜର ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ ମଠରେ ସେହି ନିମ୍ବ ଗଛ ତଳେ ସମାଧୀ ଦିଆଯାଉ, ଯାହାକୁ ସେ ଲଗାଇଥିଲେ। ଯେଉଁ ସ୍ଥାନରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ସମାଧୀ ଦିଆଯାଇଛି, ସେଠାରେ ତାଙ୍କ ଗୁରୁଙ୍କୁ ମଧ୍ୟ ସମାଧୀ ଦିଆଯାଇଥିଲା। ସନ୍ଥ ପରଂପରା ଅନୁସାରେ ସବୁବେଳେ ଗୁରୁଙ୍କ ସମାଧୀ ନିକଟରେ ଶିଶ୍ୟଙ୍କୁ ସମାଧୀ ଦିଆଯାଇଥାଏ। ଏହା ପୂର୍ବରୁ ସନ୍ଥଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ରିପୋର୍ଟକୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହାକୁ ସର୍ବସାଧାରଣ ସାମ୍ନାକୁ ଅଣାଯାଇ ନାହିଁ। କୁହାଯାଇଥାଏ ଯେ, ପ୍ରୟାଗରାଜରେ ଗଂଗା, ଯମୁନା ଓ ସରସ୍ବତୀଙ୍କ ସଂଗମ ହୋଇଛି। ନରେନ୍ଦ୍ର ଗିରିଙ୍କ ପାର୍ଥିବ ଶରୀରକୁ ସ୍ନାନ କରାଯାଇଥିଲା। ପରେ ଲେଟେ ହନୁମାନ ମନ୍ଦିର ଦର୍ଶନ କରାଯାଇଥିଲା।