Headlines Odisha Tv

An Odia News Portal

ମନ୍ଦିର ପରିସରରେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ

ବାଲିପାଟଣା: ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିର‌ ପରିସରରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ମନ୍ଦିର ପରିସରରେ ବାହାଘର ଭୋଜି ଚାଲିଥିବା ବେଳେ ୩ଜଣ ଯୁବକ ସେଠାରେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଧରି ଉତ୍ପାତ କରିଥିଲେ। ଲୋକଙ୍କୁ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥି‌ଲେ। ତେବେ କିଛି ଲୋକ ସାହସ ଜୁଟାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେବା ସହ ତା’ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଏହା ଦେଖି ଅନ୍ୟ ୨ ସହଯୋଗୀ ସେଠାରୁ ଖସି ପଳାଇଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାଲିପାଟଣା ଓ ବନମାଳିପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେ ହେଲା, ପ୍ରଧାନପାଟଣା ଗ୍ରାମର ରଞ୍ଜନ କୁମାର ସାହୁ ଓରଫ୍‌ ବାବୁଲି (୨୮)। ସେ ବର ସୋମନାଥ ସାହୁ ଓରଫ୍‌ କାଳିଆଙ୍କ ଭାଇ ବୋଲି ଜଣାଯାଇଛି। ତା’ ନିକଟରୁ ପୁଲିସ୍‌ ଏକ ବନ୍ଧୁକ ଓ କିଛି ଗୁଳି ଜବତ କରିଛି। ଅପରପକ୍ଷେ ରାତିରେ ଅନ୍ୟତମ ଅଭିଯୁକ୍ତ ଚନ୍ଦନ ଆଚାର୍ଯ୍ୟକୁ ବାଲିପାଟଣା ଥାନା ପୁଲିସ୍‌ ଗିରଫ କରିଛି। ବନମାଳିପୁର ବଜାରେ ସେ ବୁଲୁଥିବା ବେଳେ ସାଦା ପୋଷାକରେ ବୁଲୁଥିବା ପୁଲିସ୍‌ ତାକୁ ମାଡ଼ି ବସିଥିଲା। ଏ ସଂପର୍କରେ ଭଅଁରାଗଡ଼ ଗ୍ରାମର ଗନ୍ଧର୍ବସେନ ପାତ୍ର (ପିଣ୍ଟୁ) ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ୧୧୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

You may have missed

1 min read
1 min read