ଭୁବନେଶ୍ବର, : ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା କେବେ ଜବତ ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ ମାମଲା ହୋଇଥିବା ବେଳେ ୧୧୪ଟି ଲାଞ୍ଚ ନେବା ମାମଲା। ଚଳିତ ବର୍ଷ ୪ଟି ଆୟ ବର୍ହିଭୂତ ସମ୍ପତ୍ତି ଜନିତ ମାମଲା ଭିଜିଲାନ୍ସ ପାଇଁ ଏକ ଉଦାହରଣ ହୋଇ ରହିବ। ସେଥିମଧ୍ୟରୁ ଇଡକଲ୍ ଡେପୁଟି ମ୍ୟାନେଜର ଗୟାଙ୍କ ମାମଲା ଅନ୍ୟତମ। ବଡ଼ କଥା ହେଉଛି ଏହି ବର୍ଷ ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଏହା ଗତ ୫ ବର୍ଷ ମଧ୍ୟରେ ପ୍ରଥମ। ସେହିପରି ଚଳିତ ବର୍ଷ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ମଧ୍ୟ ରେକର୍ଡ କରିଛି। ଚଳିତ ବର୍ଷ ୮୭ ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇଛି। ଯାହାକି ମାମଲାର ୫୦ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦେଶକ ଯଶୱନ୍ତ ଜେଠୱା। ଆଜି ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ଜାତୀୟ ରେକର୍ଡ ଦୃଷ୍ଟିରୁ ଚଢ଼ଉ ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବାରେ ଗତବର୍ଷ ରାଜ୍ୟ ଭିଜିଲାନ୍ସର ପ୍ରଦର୍ଶନ ସବୁଠାରୁ ଭଲ ଥିଲା। ଚଳିତ ବର୍ଷ ମଧ୍ୟ ଏହା ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା