ସମ୍ବଲପୁର : ସଙ୍ଗିନ୍ ଅଭିଯୋଗ ଥିବା କେତେକ ବିବାଦୀୟ ପୁଲିସ ଅଧିକାରୀ ଏବେ କ୍ରାଇମ୍ ବ୍ରାଞ୍ଚରେ। ସେମାନଙ୍କ ପାଇଁ ରାଜ୍ୟ ପୁଲିସର ଏହି ପ୍ରମୁଖ ବିଭାଗ ଏବେ ଭାବମୂର୍ତ୍ତି ସଂକଟରେ। ଏପରିକି ଯେଉଁମାନଙ୍କ ବିରୋଧରେ ସଂଗିନ ଅଭିଯୋଗ ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ ଦିଆଯିବା ପରେ ଲୋକଙ୍କ ମଧ୍ୟରେ ଭିନ୍ନ କଥା ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ସିବିଆଇ ଭଳି ଓଡ଼ିଶାରେ କ୍ରାଇମ୍ ବ୍ରାଞ୍ଚ ବଡ଼ ବଡ଼ ଅପରାଧର ତଦନ୍ତ କରୁଛି। ସିବିଆଇ ଭଳି କ୍ରାଇମ୍ ବ୍ରାଞ୍ଚ ଉପରେ ମଧ୍ୟ ଲୋକଙ୍କ ଆସ୍ଥା ରହିଥାଏ। ସାଧାରଣ ପୁଲିସ ଯେଉଁ ମାମଲାଗୁଡ଼ିକ ତଦନ୍ତ କରିବାରେ ବିଫଳ ହୋଇଥାଏ କିମ୍ବା ତଦନ୍ତରେ ସ୍ବଚ୍ଛତା ଓ ନିରପେକ୍ଷତା ରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଥାଏ, ସେଭଳି ମାମଲାଗୁଡ଼ିକୁ ସରକାର କ୍ରାଇମ୍ ବ୍ରାଞ୍ଚକୁ ଦେଇଥାନ୍ତି। ଅପରାଧ ତଦନ୍ତ କ୍ଷେତ୍ରରେ ଭଲ ରେକର୍ଡ ଥିବା ଅଫିସରମାନଙ୍କୁ କ୍ରାଇମ୍ ବ୍ରାଞ୍ଚରେ ନିଯୁକ୍ତି ଦିଆଯିବା କଥା। ଏବେ କିନ୍ତୁ କେତେକ ବିବାଦୀୟ ଅଧିକାରୀ ଓଡ଼ିଶା ପୁଲିସର ଏହି ଶୀର୍ଷ ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଞ୍ଚରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଓଡ଼ିଶା ସରକାରଙ୍କ ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଯେଉଁ ୩ଟି ଟିମ୍ ଗଠନ କରାଯାଇଛି, ସେଥିରୁ ପ୍ରଥମ ଟିମ୍ର ନେତୃତ୍ବ ନେଉଛନ୍ତି ଡିଏସ୍ପି ରମେଶ ଦୋରା। କ୍ରାଇମ୍ ବ୍ରାଞ୍ଚକୁ ଯିବା ପୂର୍ବରୁ ଶ୍ରୀ ଦୋରା ସମ୍ବଲପୁର ଟାଉନ୍ ଥାନାରେ କାର୍ଯ୍ୟରତ ଥିବା ସମୟରେ ଜାଲ୍ ଜାତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ଆସିଥିଲା। ତାଙ୍କ ସମୟରେ ଏହି ଥାନା ଅଂଚଳର କେତେକ ମାମଲାର ତଦନ୍ତକୁ ନେଇ ଲୋକେ ବି ପ୍ରଶ୍ନ ଉଠାଇଥିଲେ। ଏହା ସତ୍ତ୍ବେ କ୍ରାଇମ୍ ବ୍ରାଞ୍ଚରେ ତାଙ୍କୁ ନିଯୁକ୍ତି ଦିଆଯାଇଛି।
ଭାବମୂର୍ତ୍ତି ସଂକଟରେ କ୍ରାଇମ୍ ବ୍ରାଞ୍ଚ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ