Headlines Odisha Tv

An Odia News Portal

ବୃଦ୍ଧା ଚଢ଼ିଗଲେ ହଜାରେ ଫୁଟର ପାହାଡ଼, ନାକେଦମ ହେଲା ଅଗ୍ନିଶମ ବିଭାଗ

ବ୍ରହ୍ମପୁର :  ହଠାତ୍‌ ଘରୁ ନିଖୋଜ ହୋଇଗଲେ ୭୦ ବର୍ଷୀୟା ବୃଦ୍ଧା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବୃଦ୍ଧାଜଣକ ଗାଁ ପାଖରେ ଥିବା ଏକ ସୁଉଚ୍ଚ ପାହାଡ଼ ଚଢ଼ି ଯାଇଥିବା ଜାଣିବାକୁ ପାଇଲେ। ବୃଦ୍ଧାଙ୍କୁ ସୁରକ୍ଷିତ ଭାବ ତଳକୁ ଆଣିବାକୁ ନାକେଦମ ହେଲା ଅଗ୍ନିଶମ ବିଭାଗ । ପ୍ରାୟ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ଗତକାଲି ଘଟିଛି। ପାହାଡ଼ ଚଢ଼ିଥିବା ବୃଦ୍ଧାଜଣକ ହେଲେ ୭୦ ବର୍ଷୀୟା ଚଞ୍ଚଳା ଦଳେଇ । ବଡ଼ଡୁମ୍ବୁଳା ଗାଁରେ ପରିବାର ସହ ରହୁଥିବା ଚଞ୍ଚଳା ଗତକାଲି ସନ୍ଧ୍ୟା ବେଳୁ ନିଖୋଜ ଥିଲେ। ଏହା ଜାଣି ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର  କୌଣସି ସନ୍ଧାନ ପାଇ ପାରି ନ ଥିଲେ। ବିଳମ୍ବିତ ରାତିରେ ଗାଁ ଲୋକେ ପାହାଡ଼ ନିକଟରେ ଥିବା ବିଲ ଜଗିବାକୁ ଯାଇଥିବା ବେଳେ ଚଞ୍ଚଳାଙ୍କ କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଗାଁର ୫ ଜଣ ଯୁବକ ଉପରକୁ ଯାଇଥିବା ବେଳେ ସେମାନେ ସେଠାରେ ଫସି ଯାଇଥିଲେ। ବୃଦ୍ଧାଙ୍କୁ ଧରି ତଳକୁ ଖସି ନ ପାରିବାରୁ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।