Headlines Odisha Tv

An Odia News Portal

ପ୍ରଥମ ଟେଷ୍ଟ: ୨ୟ ଦିନରେ ବର୍ଷା ସାଜିଲା ବାଧକ

ଅଗଷ୍ଟ ୦୬ : ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନରେ ବର୍ଷା ଦାଉ ସାଜିଛି । ବର୍ଷା ବାଧିତ ମ୍ୟାଚର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ଟି ୱିକେଟ ହରାଇ ୧୨୫ ରନ୍ କରିଛି । ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମ୍ୟାଚ୍ ଅଧିକ ସମୟ ପର୍ଯ୍ୟନ୍ତ ଖେଳାଯାଇପାରି ନଥିଲା । ଭାରତୀୟ ଓପନର ରୋହିତ ଶର୍ମା ୩୬ ରନ୍ କରିଥିଲେ । ସେ ୧୦୭ଟି ବଲ ଖେଳି ୬ଟି ଚୌକା ମାରିଥିଲେ । କେଏଲ ରାହୁଲ ଅପରାଜିତ ୫୭ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାର ୪ ରନ୍‌, ଅଧିନାୟକ ବିରାଟ କୋହଲି କୌଣସି ରନ୍ ନକରି ଆଉଟ ହୋଇଥିଲେ । ଜନି ବେୟାରଷ୍ଟୋଙ୍କ ଦ୍ୱାରା ଆଜିଙ୍କ୍ୟ ରାହାଣେ (୫ ରନ୍‌) ରନ୍ ଆଉଟ ହୋଇଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ୠଷଭ ପନ୍ତ ୮ଟି ବଲ ଖେଳି ୭ ରନ୍ କରି ଅପରାଜିତ ଅଛନ୍ତି ।  ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛି । ଇଂଲଣ୍ଡକୁ ପ୍ରଥମ ପାଳିରେ ଭାରତ ୧୮୩ ରନ୍‌ରେ ଅଲଆଉଟ କରିବା ପରେ ବ୍ୟାଟିଂ ଜାରି ରଖିଛି । ଇଂଲଣ୍ଡ ତୁଳନାରେ ଭାରତ ୫୮ ରନ୍ ପଛରେ ଅଛି । ଆଜି ତୃତୀୟ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଥିବାରୁ ପ୍ରଶଂସନୀୟ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ଦୁର୍ଗକୁ ଭୁଶୁଡ଼ାଇ ଦେଇଛନ୍ତି ।  ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ବୁମରାଙ୍କୁ ସମ୍ମୁଖୀନ ହୋଇପାରି ନାହାନ୍ତି । ବୁମରା ୨୦.୪ ଓଭର ବୋଲିଂ କରି ୪ଟି ମେଡେନ ନେଇଥିଲେ । ସେ ୪୬ ରନ୍ ଦେବା ସହିତ ୪ଟି ୱିକେଟ ମଧ୍ୟ ନେଇଥିଲେ ।  ବୁମରାଙ୍କ ଭଳି ଭାରତର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ସାମି ୧୭ ଓଭର ବୋଲିଂ କରି ୩ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡ ୧୮୩ ରନ୍‌ରେ ଆଉଟ ହୋଇଯାଇଥିଲା । ଅଧିନାୟକ ଜୋଏ ରୁଟ (୬୪)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଭଲ ସ୍କୋର କରିବାରେ ସଫଳ ହୋଇପାରି ନଥିଲେ । ଚାରି ଜଣ ଖେଳାଳି (ରୋରି ବୁରନ୍‌ସ, ଲରେନ୍ସ, ଜୋସ ବଟଲର ଓ ରବିନସନ) ଖାତା ଖୋଲି ନଥିଲେ । ଷ୍ଟୁଆର୍ଟ ବ୍ରଡ ୪ ରନ୍ ଓ ଜେମ୍ସ ଆଣ୍ଡରସନ ୧ ରନ୍ କରିଥିଲେ ।