Headlines Odisha Tv

An Odia News Portal

ପୁଣି ଫେରୁଛି ତାତି, ୩ ଦିନରେ ବଢ଼ିବ ୪ ଡିଗ୍ରି

Summer heat on the thermometer

ଭୁବନେଶ୍ବର : ଶୁକ୍ରବାର ଦିନ ରାଜ୍ୟରେ ପାରଦ ପୁଣି ଉପରମୁହାଁ ହୋଇଛି। ୧୦ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ଛୁଇଁଛି। ସେହିପରି ସୋନପୁର (୪୨.୮ ଡିଗ୍ରି), ଦେବଗଡ଼ ଓ ସୁନ୍ଦରଗଡ଼ (୪୨ ଡିଗ୍ରି) ଆଦି ୩ ସହର ତାତି ୪୨ ଡିଗ୍ରି ଅତିକ୍ରମ କରିଛି। ଆସନ୍ତା ୩ ଦିନରେ ତାତି ଆହୁରି ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରି ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମାର୍ତ୍ତାବନ ଉପସାଗର ଓ ତତ୍‌ସଂଲଗ୍ନ ମିଆଁମାର୍‌ ଅଞ୍ଚଳରେ ଗତକାଲି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ତେବେ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ଆସନ୍ତାକାଲିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର କୌଣସି ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ଖରା ଟାଣ ରହିବା ସହ ତାତି ମଧ୍ୟ ବଢ଼ିବ। ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ବିଶେଷକରି ଉପକୂଳରେ କାଳବୈଶାଖୀ ବର୍ଷା ଯୋଗୁଁ ତାତି ନିୟନ୍ତ୍ରଣରେ ରହିବ। ଆଜିଠାରୁ ଉପକୂଳର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିବ। ଶୁକ୍ରବାର ଦିନ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରହିଥିଲା। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳର ତାପମାତ୍ରା ୩୮ଡିଗ୍ରି ବା ଏହା ଉପରେ ରହିବ।