ମୁମ୍ବାଇ,୧୨/୦୪: ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି। ଶେଷ ଥର ପାଇଁ ସୁପରକିଙ୍ଗ୍ସ ୨୦୧୦ ସଂସ୍କରଣରେ ପ୍ରଥମ ୪ଟି ମ୍ୟାଚ୍ ପରାଜିତ ହୋଇଥିଲା । ଅବଶ୍ୟ ସୁପରକିଙ୍ଗ୍ସ ସେହିବର୍ଷ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା। ଏଥର ୧୦ଟି ଦଳ ଭାଗ ନେଉଥିବାରୁ ସ୍ଥିତି ଭିନ୍ନ ରହିବ । ଆଉ ଗୋଟିଏ ପରାଜୟ ସୁପରକିଙ୍ଗ୍ସର ଟାଇଟଲ ଅଭିଯାନ ଶେଷ କରିଦେବାର ଆଶଙ୍କା ରହିଛି । ଗତ ସିଜନରେ ସୁପରକିଙ୍ଗ୍ସକୁ ଚାମ୍ପିଅନ୍ କରାଇଥିବା ଫାଫ ଡୁ ପ୍ଲେସି ବର୍ତ୍ତମାନ ରୟାଲ୍ ଚ୍ୟାଲେଞ୍ଜର୍ସର ଅଧିନାୟକ। ଦଳ ଡୁ ପ୍ଲେସିଙ୍କ ଅନୁପସ୍ଥିତି ଅନୁଭବ କରୁଛି । ଏଥିସହ ଋତୁରାଜ ଗାଏକୱାଡ ଓ ରବିନ ଉଥପ୍ପାଙ୍କ ଫର୍ମ ମଧ୍ୟ ଦଳକୁ ଚିନ୍ତାରେ ପକାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ୪ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ପ୍ରଥମାର୍ଦ୍ଧରେ ରହିଛି ରୟାଲ୍ ଚ୍ୟାଲେଞ୍ଜର୍ସ । ୱାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଶୃଙ୍ଖଳିତ ବୋଲିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ମୁଖ୍ୟତଃ ବିଜୟ ହାସଲ କରିଛି। ହେଲେ ହର୍ଷଲ ଖେଳିବେ ନାହିଁ। ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଭଳି ଷ୍ଟାର୍ ବ୍ୟାଟର ରହିଥିଲେ ହେଁ ଦିନେଶ କାର୍ତ୍ତିକଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ସେ ସମ୍ପ୍ରତି ଆଇପିଏଲ୍ର ଶ୍ରେଷ୍ଠ ଫିନିଶର ଭାବେ ଗଣା ହେଉଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା