ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା
ପିପିଲି,୨୩ା୧୧: ପୁରୀ ଜିଲାର ଡେଲାଙ୍ଗ ଅଂଚଳର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱର ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁୃଏମ୍) ଠାରେ ଶନିବାର ଦିନ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୟାନଦୀର ମାଧିପୁର ଓ କଂଟି କାଜରୁ ନିଷ୍କାସିତ ହେଉଥିବା ବନ୍ୟାଜଳର ସୁପରିଚାଳନା ହେଉନଥିବାରୁ ଡେଲାଙ୍ଗ ଓ ପିପିଲି ଅଂଚଳରେ ମୁଖ୍ୟତଃ ଚାଷ ବାଧାପ୍ରାପ୍ତ ହେଉଛି । ଡେଲାଙ୍ଗ ବ୍ଳକର ୧୫ଟି ପଂଚାୟତ ଜଳବନ୍ଦୀ ହୋଇ ପ୍ରାୟ ଅଢେଇ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ଜଳ ନିଷ୍କାସନ ଅଭାବରୁ ଅଧିକାଂଶ ଧାନ ଜମିରେ ରାଜକଇଁ ଫୁଟୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓ ଡେଲାଙ୍ଗ ଅଂଚଳର କୃଷକଙ୍କ ଜୀବିକାର ଉନ୍ନତି ପାଇଁ ଆଇଆଇଡବ୍ଲ୍ୟୁଏମ୍, ଭୁବନେଶ୍ୱରର ବୈଜ୍ଞାନିକଙ୍କ ସମେତ କଟକ ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ରୀୟ କୃଷିଗତ ମହିଳା ପ୍ରତିଷ୍ଠାନ, କେନ୍ଦ୍ର ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ସିଫା), କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା କେନ୍ଦ୍ର, ଭାରତୀୟ ଉଦ୍ୟାନ ଫସଲ ଗବେଷଣା କେନ୍ଦ୍ର, ଭାରତୀୟ ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର, ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଗବେଷକଙ୍କ ସମେତ ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ, ରାଜ୍ୟ କୃଷି ଓ ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ, ପିପିଲି ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ଏବଂ ପିପିଲି, ଡେଲାଙ୍ଗ ଅଂଚଳର ଅଗ୍ରଣୀ ଚାଷୀମାନେ ଯୋଗଦେଇ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ ।
ଏଥିରେ ମୁଖ୍ୟଅତିଥି ଭାବେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ଡେଲାଙ୍ଗ ବ୍ଲକର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ପ୍ରସ୍ତୃତ କରିବାକୁ ପରାମର୍ଶ ଦେଇଥିଲେ । ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଦୟାନଦୀର ମାଧିପୁର ଓ କଂଟି ଠାରେ ଥିବା କାଜର ସୁଦୃଢିକରଣ କରିବା ସହ ଦୟାନଦୀରେ ବ୍ୟାରେଜ ନିର୍ମାଣ ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ । ଡେଲାଙ୍ଗ ବ୍ଲକର ଜଳବନ୍ଦୀ ଅଂଚଳର ଗୋଟିଏ ପଂଚାୟତରେ ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ କରିବାକୁ ସେ ସମସ୍ତ ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ ଯୋଗଦେଇ ପିପିଲି ଓ ଡେଲାଙ୍ଗ ବ୍ଲକର ବନ୍ୟା ପ୍ରଭାବିତ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ ପକ୍ଷରୁ ପ୍ରକାଶିତ ଷ୍ଟାଟସ ରିପୋର୍ଟ ପରେ ଏହାର ଡିପିଆର୍ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ଼ଃ ଅର୍ଜ୍ଜମାଦତ୍ତ ଷଡଙ୍ଗୀ କହିଥିଲେ ଯେ, ଆଇଆଇଡବ୍ଲ୍ୟୁୃଏମ ପକ୍ଷରୁ ଜଳବନ୍ଦୀ ଅଂଚଳ ପାଇଁ ଅନେକ ଟେକ୍ନୋଲୋଜି ଉଦ୍ଭାବନ କରାଯାଇଛି । ଜଳସ୍ତର ଓ ଭୂମିର ଅବସ୍ଥାନକୁ ବିଚାରକୁ ନେଇ ଯେଉଁ ଟେକ୍ନୋଲୋଜି ଯେଉଁଠାରେ ପାରଦର୍ଶୀ ହୋଇପାରିବ, ଚାଷୀମାନେ ତାହାକୁ ପ୍ରୟୋଗ କରିବା ଆବଶ୍ୟକ । ଡେଲାଙ୍ଗର ଜଳବନ୍ଦୀ ଅଂଚଳର କୃଷକ ଓ କୃଷିର ବିକାଶ, ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ଯୋଜନା ସଂପର୍କରେ ଉପସ୍ଥିତ ଥିବା ବିଭିନ୍ନ ସଂସ୍ଥାର ବୈଜ୍ଞାନିକ, ବିଶେଷଜ୍ଞ ଓ ଯନ୍ତ୍ରୀମାନେ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ଲେପ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି, ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସହସଂପାଦକ ଦୀନବନ୍ଧୁ ବେହୁରା ପ୍ରମୁଖ ଡେଲାଙ୍ଗ ଓ ପିପିଲିର ବନ୍ୟା ପ୍ରଭାବିତ ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଡେଲାଙ୍ଗ ଜଳବନ୍ଦୀ ସମସ୍ୟା ଉପରେ ଏକ ଷ୍ଟାଟସ୍ ରିପୋର୍ଟକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆଇଆଇଡବ୍ଲ୍ୟୁଏମ ର ପ୍ରଧାନ ବୈଜ୍ଞାନିକ ଡ଼ଃ ଏସ୍.କେ ରାଉତରାୟ, ଡ଼ଃ ଏସ୍.କେ ଜେନା, ଡ଼ଃ ହେମନ୍ତ କୁମାର ଦାଶ ଓ ଡ଼ଃ ସୁମନ୍ତ କୁମାର ମିଶ୍ର କର୍ମଶାଳାକୁ ପରିଚାଳନା କରିଥିବା ବେଳେ ପ୍ରଧାନ ବୈଜ୍ଞାନିକ ଡ଼ଃ ରବିନ୍ଦ୍ର କୁମାର ପଣ୍ଡା ଶେଷରେ ଧନ୍ୟବାଦ କରିଥିଲେ । ଏହି ଅବସରରେ ସେଠାରେ ସାଂସଦ ଓ ବିଧାୟକ ବୃକ୍ଷରୋପଣ କରିଥିଲେ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*