Headlines Odisha Tv

An Odia News Portal

ଛାତ୍ର ଆନ୍ଦୋଳନ ନେଇ ରେଭେନ୍ସାରେ କଡ଼ାକଡ଼ି ହେଲା ନିୟମ

କଟକ୨୧/୧୦: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ । ଏଣିକି ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କିମ୍ୱା କୌଣସି ନିଷ୍ପତ୍ତି ବିରୋଧରେ ପ୍ରତିଵାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ବିଶ୍ଵବିଦ୍ୟାଳୟରୁ ବାସନ୍ଦ ହେବା ସହ ଅର୍ଥଦଣ୍ଡ ଓ ବହିଷ୍କାର କରାଯିବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରି ସୂଚନା ଦିଆଯାଇଛି । ଏହାସହ କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟର ସେବନ ଉପରେ ମଧ୍ୟ କଟକଣା ଲାଗିଛି । ଆହୁରି ମଧ୍ୟ ହଷ୍ଟେଲ ନିୟମ ଭାଙ୍ଗିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହା ସହ ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡ କଲେ ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଧରାଯିବ ଵୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସରେ କୁହାଯାଇଛି । ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।