Headlines Odisha Tv

An Odia News Portal

କେତେ ମୁଣ୍ଡ ଗଲେ ଚେତିବେ ?

ଭୁବନେଶ୍ବର: ନିଶାଡ଼ିଙ୍କୁ ସୁଧାରିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଉଛି। ମାତ୍ର ସେଠାରେ ଉପଯୁକ୍ତ ପଦ୍ଧତି ଅନୁସରଣ କରିବା ପରିବର୍ତ୍ତେ ‌ନିଶାଡ଼ିଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଉଛି। ପ୍ରବଳ ମାଡ଼ ମରାଯାଉଛି। ଏମିତିକି ପିଟିପିଟି ହତ୍ୟା କରିବାକୁ ବି ପଛାଉନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ନିଶା ନିବାରଣ କେନ୍ଦ୍ରରେ ୫ରୁ ଅଧିକ ଯୁବକ ଆଖି ବୁଜିଲେଣି। ରାଜ୍ୟର ଅଧିକାଂଶ ନିଶା ନିବାରଣ କେନ୍ଦ୍ରରେ ଏଭଳି ସଙ୍ଗିନ୍‌ ସ୍ଥିତି ଦେଖିବାକୁ ମିଳିଛି। ନିଶାଡ଼ିଙ୍କ ସଂଖ୍ୟା ଓ ଅପରାଧ ପରିମାଣ ମାତ୍ରାଧିକ ଭାବେ ବଢ଼ିବାରୁ କମିସନରେଟ୍ ପୁଲିସ ‘ଡ୍ରିମ୍‌ସ’ ଯୋଜନା ମାଧ୍ୟମରେ ନିଶାସକ୍ତ ଅପରାଧୀଙ୍କୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଆଉ ଏହି ଆଳରେ ସାରା ରାଜ୍ୟରେ ମଧ୍ୟ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର‌ ଖୋଲିଗଲା। ଉଦ୍‌ବେଗର କଥା ଯେ ନିଶାମୁକ୍ତ କରିବା ବାହାନାରେ ନିବାରଣ କେନ୍ଦ୍ରର କର୍ମଚାରୀମାନେ ନିଶାଡ଼ିଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଗତ ୨ ରୁ ୩ବର୍ଷ ମଧ୍ୟରେ ବାରିପଦାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ମାଳମାଳ ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ ହେଉଥିଲେ ବି ପ୍ରକୃତ ତଦନ୍ତ ହେଉନାହିଁ କି ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସୁନାହିଁ। କେତେକ ମାମଲାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଯାଉଛି। ଆଉ ଧୀରେଧୀରେ ମାମଲା ଆଗକୁ ନବଢ଼ି ପୁଲିସ ଫାଇଲ୍‌ ତଳେ ଚାପି ହୋଇ ରହିଯାଉଛି।