Headlines Odisha Tv

An Odia News Portal

ଊର୍ଦ୍ଦୁ ଶିକ୍ଷା ପ୍ରତି ବିପଦ: ସ୍କୁଲରେ ପାଠପଢ଼ା ବନ୍ଦ ହେବା ନେଇ ଆଶଙ୍କା‌

ଭୁବନେଶ୍ବର : ଊର୍ଦ୍ଦୁ ଶିକ୍ଷା ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି। ଶିକ୍ଷାଦାନ ପାଇଁ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ନାହିଁ। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶହେ ବର୍ଷର ସ୍କୁଲ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଗଲାଣି। ୧୧୦ ବର୍ଷ ତଳେ କଟକରେ ଏକ ଶିକ୍ଷକ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା ହୋଇଥିଲା, ଯାହାକୁ ବନ୍ଦ କରିବାକୁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୁସଲମାନ ବ୍ୟକ୍ତିଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଊର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହି ବିଦ୍ୟାଳୟର ନାମ ପରିବର୍ତନ କରାଯାଇ ମୁସଲିମ୍‌ ବସ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଖାଯାଇଛି। ମଦ୍ରାସା ବୋର୍ଡ ଦ୍ବାରା ତାଲିମପ୍ରାପ୍ତ ଫାଜିଲ୍‌ ଯୋଗ୍ୟତାଧାରୀ ବ୍ୟକ୍ତି ବିଦ୍ୟାଳୟରେ ନିଯୁକ୍ତି ପାଉଥିବା ବେଳେ ୨୦୧୧ରେ ଫାଜିଲ୍‌ ଯୋଗ୍ୟତାକୁ ପରିବର୍ତନ କରାଯାଇ ଊର୍ଦ୍ଦୁ ବିଏଡ୍‌ ଯୋଗ୍ୟତା ରଖାଯାଇଛି। ହେଲେ ଓଡ଼ିଶାରେ ଊର୍ଦ୍ଦୁ ବିଏଡ୍‌ ଯୋଗ୍ୟତା ହାସଲ ଲାଗି କୌଣସି ସୁବିଧା ନାହିଁ। ଏ ସମ୍ପର୍କରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ପରେ ସ୍ଥଗିତାଦେଶ ଜାରି ହୋଇଛି। କଟକ ଓଡ଼ିଆ‌ ବଜା‌ରରେ ଥିବା ଊର୍ଦ୍ଦୁ ମାଧ୍ୟମ ବାଳିକା ଉଚ୍ଚ ବିଦ୍ୟାଳୟରେ କେବଳ ଊର୍ଦ୍ଦୁ ଏମ୍‌ଆଇଏଲ୍‌ ଶିକ୍ଷକଙ୍କୁ ଛାଡ଼ି ‌ଦେଲେ ଊର୍ଦ୍ଦୁ ଭାଷା ଜାଣିଥିବା କୌଣସି କର୍ମଚାରୀ ନାହାନ୍ତି। ଯଦି ଏଭଳି ଚାଲେ, ତାହା ହେଲେ ଆଉ କିଛି ଦିନ ପରେ ଓଡ଼ିଶାରେ ଊର୍ଦ୍ଦୁ ଶିକ୍ଷା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।